ବରପାଲି ତା ୧୪/୦୭/22 ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳର ବିକାଶ ପାଇଁ କ୍ଷମତାର ବିକେନ୍ଦ୍ରୀକରଣ କରି ଗ୍ରାମ ପଞ୍ଚାୟତର ଦାୟିତ୍ଵ ସରପଞ୍ଚମାନଙ୍କୁ ହାତରେ ନ୍ୟସ୍ତ କରାଯାଇଛି । ହେଲେ କେତେକ ସରପଞ୍ଚ ଏହାର ଫାଇଦା ଉଠେଇ ନିଜ ପାକେଟ ଗରମ କରୁଛନ୍ତି । ଏପରିକି ଗ୍ରାମପଞ୍ଚାୟତର ଜିନିଷ ପତ୍ର ନିଜେ ନେଇ ଯାଉଛନ୍ତି । ଏପରି ଏକ ଘଟଣା ନେଇ ବରପାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ବରପାଲି ବ୍ଲକ କୁମ୍ଭାରୀ ସରପଞ୍ଚ ବସନ୍ତ ମହାନନ୍ଦ ପଞ୍ଚାୟତ ଅଫିସ୍ ର ଗୋଟିଏ ପୁରୁଣା ଟ୍ରେଜେରି ଓ ପୁରୁଣା ଡିଜେଲ ରାଇସ ହଲରକୁ ଦିନ ଦ୍ୱିପହରରେ ମେସିନ ଲଗାଇ କାଟି ନେଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ ଅଫିସ ର ପିଅନ ଅଶ୍ଵିନୀ ହାତୀଙ୍କ କହିବା ଅନୁସାରେ ସରପଞ୍ଚଙ୍କ ଉପସ୍ଥିତିରେ ଆଉ କେତେଜଣ ଙ୍କ ସହାୟତା ରେ ଗ୍ୟାସ କଟର ରେ କାଟି ସେମାନେ ହଲର ଓ ଟ୍ରେଜେରୀ କୁ ନେଇ ଯାଇଛନ୍ତି ଏବଂ ଏକଥା ମଧ୍ୟ ପ୍ରକାଶ କରିଛନ୍ତି ଯେ ଏହି କାର୍ଯ୍ୟ କରିବା ପୂର୍ବ ରୁ ପିଅନ ଙ୍କୁ ବାହାର ଗେଟ୍ ରେ ତାଲା ମାରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା ନେଇ ପଞ୍ଚାୟତ ର ନାଏବ ସରପଞ୍ଚ ଙ୍କ ସମେତ ୱାର୍ଡ ମେମ୍ବର ଙ୍କ ଏକ ବୈଠକ ବସି ଥାନାରେ ଅଭିଯୋଗ ଦେବା ସହ ବରପାଲି ବିଡ଼ିଓ ଙ୍କୁ ମଧ୍ୟ ଘଟଣା ସମ୍ପର୍କ ରେ ଜଣାଇ ଦିଆଯାଇଛି । ଅଭିଯୋଗ ପରେ ବରପାଲି ପୋଲିସ ଉକ୍ତ ଘଟଣାର ତଦନ୍ତ କରୁଥିବା ସୂଚନା ରହିଛି ।