Subarnapur : ନିଜକୁ ଅସୁରକ୍ଷିତ ମାନେ କରୁଛନ୍ତି ତରଭା ଅଞ୍ଚଳବାସୀ I ଦିନକୁ ଦିନ ଚୋରି ଡକାୟତି ଲୁଟ ହତ୍ୟା ଭଳି ଘଟଣା ବଢ଼ିବାରେ ଲାଗିଛି , ଯାହାକୁ ନେଇ ଏବେ ଚିନ୍ତାରେ ଅଞ୍ଚଳବାସୀ I ସବୁଆଡେ ଭୟର ବାତାବରଣ I ବିଗତ ଦିନମାନଙ୍କରେ ତରଭା ତଥା ଆଖପାଖ ଅଞ୍ଚଳରେ ଏହିଭଳି ଘଟଣା କୁ ନେଇ ପୋଲିସ ପ୍ରଶାସନର ନିଦ ହଜିଯାଇଛି I ହତ୍ୟା ଡକାୟତି ଚୋରି ଘଟଣାକୁ ନେଇ ପୋଲିସ ବହୁ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ନଜର ରହିଛି I ହେଲେ ଅସାମାଜିକ କାର୍ଯ୍ୟକଳାପ କମିବା ବଦଳରେ ଦିନକୁ ଦିନ ଏହା ଆହୁରି ବଢ଼ିବାରେ ଲାଗିଛି I ଯାହା ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ାଇଛି I ତରଭା ସହର ଅଞ୍ଚଳର ମୁଖ୍ୟ ବ୍ୟାବସାୟିକ କେନ୍ଦ୍ର ହୋଇଥିବାରୁ ଆଖପାଖର ଲୋକେ ନିତିଦିନ କିଛି ନା କିଛି କାମରେ ଆସିଥାନ୍ତି I ବାରମ୍ବାର ସହରର ବୁଦ୍ଧିଜୀବୀ ସଚେତନ ନାଗରିକ ତରଭା ସହରରେ ସିସି ଟିଭି କ୍ୟାମେରା ଲଗାଇବାକୁ ଦାବି କରି ଆସୁଛନ୍ତି I ହେଲେ ପ୍ରଶାସନ ତଥା ଜନପ୍ରତିନିଧିଙ୍କ ଆନ୍ତରିକତା ଅଭାବ ରହିଥିବାରୁ ଏହା ସମ୍ଭବ ହୋଇ ପାରୁ ନ ଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି I କିଛି ଦିନ ପୂର୍ବରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅଞ୍ଚଳବାସୀ ସିସି ଟିଭି କ୍ୟାମେରା ଯୋଗାଇଦେବା ପାଇଁ ଚିଠି ଲେଖିଥିଲେ I ହେଲେ ଏହାର କିଛି ସୁଫଳ ମିଳିଲା ନାହିଁ I ସ୍ଥାନୀୟ ପୋଲିସ ପ୍ରଶାସନ କିଭଳି ସହରରେ ସିସି ଟିଭି କ୍ୟାମେରା ଲାଗିପାରିବ ଏ ଦିଗରେ ପ୍ରଚେଷ୍ଟା ଚଳାଇଛି I ତେବେ ଅଞ୍ଚଳବାସୀଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିବା ନେଇ ଜନସାଧାରଣରେ ଦାବି ହେଉଛି I