ମଙ୍ଗଳବାର ଅପରାହ୍ନରେ ତରଭା ଥାନା ଅନ୍ତର୍ଗତ କମସରା ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ I ତରଭା ଥାନା ଆଇଆଇସି ସୁବ୍ରତ ପାଣିଗ୍ରାହୀଙ୍କ ଅଧକ୍ଷତାରେ ହୋଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିଏସଆଇ ସୋମ୍ୟ ରଞ୍ଜନ ବରାଳ, ଶେଖର ଚନ୍ଦ୍ର ମହାନ୍ତି, ଏଏସଆଇ ଗଜାନନ ବେହେରା ଅବସର ପ୍ରାପ୍ତ ଶିକ୍ଷକ ଜୟପ୍ରକାଶ ନାରାୟଣ ସାହୁ, ଶିଶିର ମିଶ୍ର, ରାଜୁ ବିଭାର, ସୁରେନ୍ଦ୍ର ସାହୁ, ପ୍ରମୋଦ ରଣା,ଗୋପବନ୍ଧୁ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ I ଏହି ବୈଠକରେ ଆଇଆଇସି ଶ୍ରୀ ପାଣିଗ୍ରାହୀ ମୁଖ୍ୟତଃ ଅନଲାଇନ ଠକେଇ ର ଶିକାର ହେବା ଏବଂ ତହିଁରୁ କିପରି ଭାବରେ ସଜାଗ ରହିପାରିବ ସେ ନେଇ ଅବଗତ କରିଥିଲେ I ଆଜିର କମ୍ପୁଟର ଯୁଗରେ ଆମେ ଯେତିକି ଅଗ୍ରଗତି କରି ନାନା ପ୍ରକାରର ଟେକ୍ନୋଲୋଜି ବ୍ୟବହାର କରୁଥିବା ବେଳେ ଠକ ପ୍ରବୃତ୍ତିର ଲୋକ ଏହି ଟେକ୍ନୋଲୋଜିର ବ୍ୟବହାର କରି ସାଧାରଣ ଲୋକଙ୍କୁ ଲୁଟି ଚାଲିଛନ୍ତି I ଯେପରିକି ଫ୍ରଡ଼ ଫୋନକଲ କରି ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ମାଗିବା, ଆଧାର କାର୍ଡ ପାନ କାର୍ଡ ତଥ୍ୟ ମାଗିବା , ମୋବାଇଲ ରେ ଓଟିପି ସେଆର କରିବା ଆଦି ବାହାନାରେ ଠକ ପ୍ରବୃତ୍ତିର ଲୋକ ଆପଣଙ୍କ ଆକାଉଣ୍ଟରୁ ଅନଲାଇନ ମାଧ୍ୟମରେ ଟଙ୍କା ଉଠାଣ କରିପାରନ୍ତି I ଆହୁରି ମଧ୍ୟ କ୍ରେଡିଟ ଡେବିଟ କାର୍ଡ ନମ୍ବର କିମ୍ବା ପାସୱାର୍ଡ ଅନ୍ୟ କାହା ସହ ଆଦାନ ପ୍ରଦାନ ନ କରିବା, ବିବିନ୍ନ ଆପ ଜରିଆରେ ଟଙ୍କା ଆଦାନ ପ୍ରଦାନ ସମୟରେ ସାବଧାନତା ଅବଲମ୍ବନ କରିବା ଇତ୍ୟାଦି ବିଷୟରେ ଶ୍ରୀ ପାଣିଗ୍ରାହୀ ବିସ୍ତାରରେ ବୁଝାଇଥିଲେ I ଆଗକୁ ଏ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପଥପ୍ରାନ୍ତ ସଭା କରାଯିବା ନେଇ ଆଲୋଚନା ମଧ୍ୟ କରାଯାଉଥିବା ନେଇ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ I