ସୁବର୍ଣ୍ଣପୁର ଜିଲ୍ଲାରେ ନକଲି ହାଉସ ହୋଲ୍ଡ ନମ୍ବର ପ୍ଲେଟ ଦେଇ ଠକେଇ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ । ଏଭଳି କିଛି ଦାବୀନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଆମ ଆଦମୀ ପାର୍ଟୀ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଆପ ର ଅଭିଯୋଗ ମୁତାବକ ବିହାରର ମନୋଜ କୁମାର ଗୁପ୍ତା ନାମକ ଜଣେ ବ୍ୟକ୍ତି ସୁବର୍ଣ୍ଣପୁର ଜିଲ୍ଲାର ଅଙ୍ଗନବାଡି କର୍ମୀ ଓ ସୁପରଭାଇଜରଙ୍କ ଜରିଆରେ ଗ୍ରାମାଂଚଳର ଲକ୍ଷାଧିକ ଲୋକଙ୍କଠାରୁ ଜଣପିଛା ୩୦ ରୁ ୪୦ ଟଙ୍କା ବିନିମୟରେ ନମ୍ବର ପ୍ଲେଟ ପ୍ରଦାନ କରିଛି । ଏହି ନମ୍ବର ପ୍ଲେଟରେ ଭୋଟରଙ୍କ ନାମ ,ୱାର୍ଡ ନମ୍ବର ଓ ଘର ନମ୍ବର ଉଲ୍ଲେଖ ରହିଛି । ସ୍ୱଚ୍ଛ ଗାଁ ନିର୍ମଳ ଗାଁ,ଝିଅ ପଢାନ୍ତୁ-ଝିଅ ବଂଚାନ୍ତୁ,ସ୍କୁଲ ଯିବାକୁ ହଁ କହିବା,ବାଲ୍ୟ ବିବାହକୁ ନାଁ କରିବା ଘରେ ଥିଲେ ପାଇଖାନା ବୋହୁଙ୍କୁ ବାହାର ମନା ଓ ଦୋ ଗଜ ଦୁରୀ ମାସ୍କ ଜରୁରୂ ଭଳି ସଚେତନତା ବାର୍ତା ମଧ୍ୟ ନମ୍ବର ପ୍ଲେଟରେ ଉଲ୍ଲେଖ ଅଛି । ନମ୍ବର ପ୍ଲେଟ ପ୍ରଦାନକାରୀ ସଂସ୍ଥା ଅଙ୍ଗନବାଡି କର୍ମୀଙ୍କୁ ରସିଦ ଦେଇ ଟଙ୍କା ସଂଗ୍ରହ କରୁଥିଲେ । ଗତ ମାର୍ଚ୍ଚ ଓ ଅପ୍ରେଲ ମାସରେ ଜିଲ୍ଲାର ସମସ୍ତ ବ୍ଲକରେ ଏହି ବେଆଇନ କାର୍ଯ୍ୟ ଚାଲିଥିଲା । ଏହି ଟଙ୍କା ଅସୁଲ କରିବାକୁ ସମସ୍ତ ବିଡିଓ ଏବଂ ସିଡିପିଓମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଚିଠି କରିଥିଲେ । ଏଭଳି ଏକ ବେଆଇନ କାର୍ଯ୍ୟପାଇଁ ଡିସିପିଓ କିଭଳି ଚିଠିକଲେ ସେନେଇ ଆମ ଆଦମୀ ପାର୍ଟୀ ପ୍ରଶ୍ନ କରିବା ସହ ଏହି ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ।