ସୋମବାର ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲୀ ସୁନିଲ ନରୱଣେଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ରାଜସ୍ବ ବିଭାଗ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ , ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ ଙ୍କୁ ଉତ୍ସାହିତ କରିବା ସହିତ ଏହାଦ୍ୱାରା ଲୁକାୟିତ କ୍ରୀଡା ପ୍ରତିଭା ଲୋକ ଲୋଚନକୁ ଆସିବା ସହ ଯୋଗ୍ୟ ଓ ସଫଳ କ୍ରୀଡା ପ୍ରତିଭା ଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ଏହା ବିଶେଷ ସୁଯୋଗ ବୋଲି ଗୁରୁତ୍ୱାରୋପ କରିଛନ୍ତି l ଜିଲ୍ଲା କ୍ରୀଡା ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ଅଭିଳାଷ ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ସୋନପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବରଗଡ଼, ନୂଆପଡା ପ୍ରଭୁତି 0୭ ଟି ଜିଲ୍ଲାର 0୯ ରୁ ୧୫ ବର୍ଷ ମଧ୍ୟରେ ସମୁଦାୟ ଯୋଗ୍ୟ ୮୩ ଜଣଙ୍କ ମଧ୍ୟରୁ ଆଜି କେବଳ ୫0 ଜଣ କ୍ରୀଡାପ୍ରତିଭାଗୀ ଅଂଶଗ୍ରହଣ କରି ସେମାନଙ୍କ କ୍ରୀଡା ନୈପୁଣ୍ୟତାର ପ୍ରଦର୍ଶନ କରିଛନ୍ତି l କ୍ରୀଡା ପ୍ରତିଭା ଅନ୍ୱେଷଣ କୁ ସ୍ୱଚ୍ଛ, ବ୍ୟବସ୍ଥିତ ଓ ସଠିକ ଭାବରେ ପରିଚାଳନା କରିବା ନିମନ୍ତେ ଜିଲ୍ଲା ଖେଳ ଶିକ୍ଷା ନିରୀକ୍ଷକ ଶ୍ରୀ ଦୁର୍ୟୋଧନ ରାଉତଙ୍କ ନେତୃତ୍ୱ ରେ ଜିଲ୍ଲାର ପ୍ରତିଭା ସମ୍ପନ୍ନ ଖେଳ ଶିକ୍ଷକ ସତ୍ୟନାରାୟଣ ତ୍ରିପାଠୀ, ରଘୁନାଥ ଥେନାପତି, ପଦ୍ମିନୀ ସାହୁ, ସନ୍ଧ୍ୟାରାଣୀ ଖେତୀ, ଶ୍ୟାମସୁନ୍ଦର ନାୟକ, ସଞ୍ଜୟ କୁମାର ସାହୁ, ମହମ୍ମଦ କଲିମ ଙ୍କୁ ନିୟୋଜିତ କରାଯାଇଛି l ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଜିଲ୍ଲାରେ ଲୁଚି ରହିଥିବା କ୍ରୀଡା ପ୍ରତିଭାମାନଙ୍କୁ ଲୋକଲୋଚନ କୁ ଆଣିବା ସହିତ ସେମାନଙ୍କୁ ସେମାନଙ୍କ ପ୍ରିୟ କ୍ରୀଡାରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ନିମନ୍ତେ ଏକ ନିଶ୍ଚିତ ଭିତିଭୂମି ପ୍ରଦାନ କରି ଆଗାମୀ ଦିନରେ ଏକ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପରିଚିତ କରିବା ଲକ୍ଷ୍ୟ ରହିଥିବା ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି l ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ରେ ଯୋଗ୍ୟ ବିବେଚିତ କ୍ରୀଡ଼ାବିତ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଆଜି 0୪ ତାରିଖ ଓ ଆସନ୍ତା କାଲି 0୫ ତାରିଖ ଦୁଇ ଦିନ ଧରି ଚାଲିବ l କ୍ରୀଡା ପରିଚାଳନା କୁ ସୁବ୍ୟବସ୍ଥିତ କରିବାରେ ଇନଫିନାଇଟି ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ l