ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ସରିଛି ହେଲେ ଏବେ ବି ଚାଲିଛି ଭେଟଘାଟ କାର୍ଯ୍ୟକ୍ରମ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୁଖ୍ୟଛକ ଠାରେ ନୂଆଁଖାଇ ଭେଟଘାଟ କମିଟୀ ଆନୁକୂଲ୍ୟରେ ସ୍ଥାନୀୟ କଳାକାରମାନଙ୍କ ସମ୍ମାନ ପାଇଁ ନୂଆଁଖାଇ ଭେଟଘାଟ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇ ଭେଟଘାଟ କମିଟୀର ସଭାପତି ସ୍ବାଧିନ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ଆୟୋଜକ ସମ୍ପାଦକ ନାରାୟଣ ଲୁହା, ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ, ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ, କୃତ୍ତିବାସ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ବୀରମହାରାଜପୁର ଅଞ୍ଚଳ ଏକ ସଂସ୍କୃତି ସମ୍ପନ୍ନ ଅଞ୍ଚଳ ।ଏଠାରେ ଅନେକ କଳାକାର ଙ୍କ ଅଞ୍ଚଳ ଅଟେ । ଯେହେତୁ ନୂଆଁଖାଇ କଳା, ସଂସ୍କୃତି ଓ ପରମ୍ପରାର ପର୍ବ ତେଣୁ ନୂଆଁଖାଇ ଭେଟଘାଟ ମାଧ୍ୟମରେ ଏହାକୁ ବଞ୍ଚାଇ ରଖିବା ସହିତ ଅଂଚଳର କଳାକାରଙ୍କୁ ପ୍ରୋତ୍ସାହନ ଦେବା ଏହାର ମୁଖ୍ୟ ଲକ୍ଷ୍ୟ ହେଉ ବୋଲି ଆତିଥିମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମକୁ ଅବିନାସ ହୋତା ସଂଯୋଜନା କରିଥିବା ବେଳେ ଲକ୍ଷ୍ମୀନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା। କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଜନପ୍ରତିନିଧି ଉପସ୍ଥିତ ଥିଲେ । ଏହା ଦେଖିବାକୁ ଅଞ୍ଚଳର ଶହସ୍ରାଧିକ ଦର୍ଶକଙ୍କ ସମାଗମ ହୋଇଥିବାବେଳେ ଦୁଇ ବର୍ଷ ପରେ ସାଂସ୍କୃତିକ କର୍ଯ୍ୟକ୍ରମ ହେଉଥିବାରୁ ମନଭରି ଉପଭୋଗ କରିଛନ୍ତି ।