ତରଭା : ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ଏବଂ ଅପହରଣରେ ସହଯୋଗ କରିବା ଅଭିଯୋଗରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ତରଭା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ ପାଇକବାହାଲ ଗ୍ରାମର ଜଣେ ନାବାଳିକା ଗତ ଜାନୁୟାରୀ ୨ ତାରିଖ ମେଣ୍ଡା କଲେଜକୁ ପଢିବା ପାଇଁ ଯାଉଥିବାବେଳେ ଦେଉଳପଦର ଗ୍ରାମର ବିନୟ ବାଗ (୨୧) ନାବାଳିକାକୁ ଅପହରଣ କରିନେଇଥିଲା। ଏହି ଅପହରଣରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦମାମୁଣ୍ଡା ଗ୍ରାମର ବିଶ୍ୱଜିତ ହରିପାଲ (୪୨) ସହଯୋଗ କରିଥିଲା। ତେବେ ଜାନୁୟାରୀ ୩ ତାରିଖରେ ନାବାଳିକାର ବାପା ଏ ସମ୍ବନ୍ଧେ ପୋଲିସରେ ଏତେଲା ଦେଇଥିଲେ। ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡାଙ୍କ ନିର୍ଦେଶରେ ତଦନ୍ତ ଚାଲିଥିଲା। ତରଭା ଥାନା ଏସଆଇ ଯଯାତି କେଶରୀ ସାହୁଙ୍କ ନେତୃତ୍ୱରେ ଓଏପିଏଫ ବିମଳ ପଧାନ ଓ ଜ୍ୟୋସ୍ନା ପଧାନ ମୁମ୍ବାଇ ଠାଣେ ଅନ୍ତର୍ଗତ ମୁମ୍ବା ପୋଲିସ ଥାନା ଅନ୍ତର୍ଗତ ଦିବା ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରିବା ସହ ବିନୟକୁ ଗିରଫ କରି ଶୁକ୍ରବାର ତରଭା ଥାନାକୁ ଆଣିଥିଲେ। ଉଭୟଙ୍କ ଡାକ୍ତରୀ ମଇନା କଲାପରେ ନାବାଳିକାକୁ ସୋନପୁର ସିଡବ୍ଲ୍ୟୁସି କୁ ପଠାଯାଇଥିବା ବେଳେ ବିନୟ ଓ ବିଶ୍ୱଜିତକୁ ଗତକାଲି କୋର୍ଟ ଚାଲାଣ କରାଯାଇଛି। ଏସମ୍ବନ୍ଧେ ଥାନା କେଶ ନମ୍ବର ୨ ଦଫା ୩୬୩/୩୬୬/୩୭୬ (୨)(୩) ୩୪ ଆଇପିସି/ସେକ୍ସନ ୬ ପୋକସୋ ଆଇନରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଆଇଆଇସି ସୁବ୍ରତ ପାଣିଗ୍ରାହୀ ପ୍ରକାଶ କହିଛନ୍ତି।