ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅମଲା ମଂଚର ଚିତ୍ତରଞ୍ଜନ ତରସିଆଙ୍କ ନେତୃତ୍ବରେ 32 ଗୋଟି ବିଭାଗର ଶତାଧିକ ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି I ଏହା ସହ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ସାମୁହିକ ଛୁଟି ନେଇଛନ୍ତି । ବିଭିନ୍ନ ସମୟରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇ ଥିଲେ ମଧ୍ୟ ରାଜ୍ୟ ସରକାର ନୀରବ ରହିଥିବା ଅଭିଯୋଗ ହୋଇଛି । କନିଷ୍ଠ ସହାୟକମାନଙ୍କୁ ମାତ୍ର 9300 ରୁ 34 800 ହାରରେ ଦରମା ପ୍ରଦାନ କରିବା ସହିତ 4200 ଗ୍ରେଡ ପେ ପ୍ରଦାନ କରିବା ପାଇଁ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜୁନ 1 ସୁଦ୍ଧା ଦାବି ପୂରଣ କରିବାକୁ ଅନୁରୋଧ ମଧ୍ୟ କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଅମଲା ସଂଘ ସହିତ କୌଣସି ଆଲୋଚନା କରାଯାଇ ନ ଥିବା ବେଳେ ରାଜ୍ୟ ସରକାର ଏଯାଏଁ ଅମଲା ସଂଘର ଦାବି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଜଣାଯାଇଛି । ଫଳରେ ଆଜିଠାରୁ ଅମଲାମାନେ ସାମୂହିକ ଛୁଟି ନେବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଅମଲାମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ନିଜ ନିଜ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଅମଲା ମାନଙ୍କ ସାମୁହିକ ଛୁଟି ପାଇଁ ଆଜି ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟରେ କୌଣସି ସରକାରୀ କାର୍ଯ୍ୟ ହୋଇ ପାରୁନାହିଁ। ଜନସାଧାରଣ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଅମଲା ମାନେ ଦାବି ପୂରଣ ନ ହେଲେ ସାମୁହିକ ଛୁଟି ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।