Home Odisha ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନରେ ଲାଗିଲା ନିଆଁ

ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନରେ ଲାଗିଲା ନିଆଁ

0

ପିଛା ଛାଡୁନି ଓଡ଼ିଶାରେ ଟ୍ରେନ ଦୁର୍ଘଟଣା । ପ୍ରଥମେ ବାହାନଗା ଟ୍ରେନ ଦୁର୍ଘଟଣା ତାପରେ ଯାଜପୁର ରୋଡ ଷ୍ଟେସନରେ ମାଲବାହୀ ଟ୍ରେନରେ କଟି ଶ୍ରମିକ ପ୍ରାଣ ହରାଇବା ଏବଂ ପୁଣି ଗତରାତି ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲୱେ ଷ୍ଟେସନ ଠାରେ ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନରେ ନିଆଁ ଲାଗିଥିଲା । ଖରିଆରରୋଡ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିବ ଫଳରେ ପ୍ରାୟ ଏକ ଘଣ୍ଟା ହେବ ଖରିଆରରୋଡ ଷ୍ଟେସନରେ ଟେନ ଅଟକି ରହିଥିଲା । ପ୍ରାପ୍ତ ସୂଚନା ମୁତାବକ , ରାତି ପ୍ରାୟ ୧୦ ଘଣ୍ଟା ରେ ଦୁର୍ଗ-ପୁରୀ ଇଣ୍ଟରସିଟି ଟେନ ଖରିଆରରୋଡ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ତେବେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନା ନିକଟରେ ଟ୍ରେନରେ ନିଆଁ ଲାଗିଥିବା ଯାତ୍ରୀ ଜାଣିବାକୁ ପାଇଥିଲେ । ସାଙ୍ଗେ ସାଙ୍ଗେ ଏହାକୁ ନେଇ ରେଲୱେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ ସେଠି ସୁରକ୍ଷା ଦୃଷ୍ଟିରୁ ରେଲୱେ କର୍ତ୍ତୃପକ୍ଷ ଟ୍ରେନକୁ ଖରିଆରରୋଡ ଷ୍ଟେସନକୁ ଆଣିଥିଲେ ।ଟ୍ରେନର ଏସି ବଗି ନିକଟରେ ଚକର ବ୍ରେକ ବାଇଣ୍ଡିଙ୍ଗରେ ନିଆଁ ଲାଗି ଯାଇଥିଲା । ପ୍ରବଳ ଧୁଆଁ ହେବାରୁ ଯାତ୍ରୀ ଅସୁରକ୍ଷିତ ମନେ କରି ସବୁ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡିଥିଲେ । ଷ୍ଟେସନ ସମ୍ପୂର୍ଣ୍ଣ ଭାବେ ଧୂଆଁମୟ ହୋଇ ପଡ଼ିଥିଲା । ଖରିଆରରୋଡ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଦୁଇଟି ନିଆଁଲିଭା ଗାଡ଼ି ଦ୍ୱାରା ଟ୍ରେନର ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣାରେ କାହାରି କିଛି କ୍ଷତି ଘଟିନାହିଁ , ସବୁ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଅନ୍ୟପକ୍ଷରେ ଟ୍ରେନର ଏସି ଚାଲୁନଥିବାରୁ ଯାତ୍ରୀ ଖରିଆରରୋଡ ଷ୍ଟେସନରେ ପାଟିତୁଣ୍ଡ କରିଥିଲେ । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏସି ଚାଲୁନଥିବା ରେଲୱେ କର୍ତ୍ତୃପକ୍ଷ କହିଥିଲେ । ଆଗାମୀ ଷ୍ଟେସନରେ ଏସି ସଜାଡ଼ିବାକୁ ରେଲୱେ କର୍ତ୍ତୃପକ୍ଷ ପ୍ରତିଶୃତି ଦେବାରୁ ଯାତ୍ରୀ ଟ୍ରେନରେ ଚଢିଥିଲେ । ଦୁର୍ଗ-ପୁରୀ ଟ୍ରେନ ସନ୍ଧ୍ୟା ୬ ଟା ୫୩ରେ ଖରିଆରରୋଡ ଷ୍ଟେସନରେ ପହଞ୍ଚିବାର ଥିଲା କିନ୍ତୁ ଏହା ରାତି ପ୍ରାୟ ୧୦ ଟା ୫ରେ ପହଞ୍ଚିଥିଲା । ରାତି ପ୍ରାୟ ୧୧ ଟା ୫ ମିନିଟରେ ଟ୍ରେନ ଖରିଆରରୋଡ ଷ୍ଟେସନରୁ ଛାଡିଥିଲା ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version