ଆଜି ଓଡ଼ିଶାରେ ଥିବା ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କଂଗ୍ରେସ ଦଳ I ଅହେତୁକ ଦରଦାମ ବୃଦ୍ଧି, ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଦୁର୍ନୀତି, ଚାଷୀ ମାରଣା ନୀତି, ନାରୀ ନିର୍ଯ୍ୟାତନା, ବେକାରୀ ସମସ୍ୟା, ବ୍ୟାପକ ପିସି କାରବାର ଭଳି ବିଭିନ୍ନ ପ୍ରସଙ୍ଗ କୁ ଏହି ଧାରଣା ଦିଆଯାଇଥିଲା I ଏହି ପରିପ୍ରେକ୍ଷୀ ରେ ଆଜି ତରଭା ବ୍ଲକ ଏବଂ ନଗର କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା I ପ୍ରଥମେ ଏକ ରେଲି ବାହାରି ସହରର ନୂଆପଡା, ରଥପଡ଼ା , ମୁଖ୍ୟ ରାସ୍ତା ଦେଇ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା I କଂଗ୍ରେସ କର୍ମୀମାନେ ଉଭୟ ବିଜେପି ଓ ବିଜେଡି ଦଳ ବିରୁଦ୍ଧରେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା I ଏହାସହ ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଥାଇ ମଧ୍ୟ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ରହୁଥିବା, ମନରେଗା ଯୋଜନାରେ ଦୁର୍ନୀତି, ନିମ୍ନମାନର ପ୍ରକଳ୍ପ ତିଆରି ଭଳି ନାନା ଅଭିଯୋଗ ଆଣିଥିଲେ I ଏ ନେଇ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତରଭା ବିଡ଼ିଓ ଅନିଲ କୁମାର କୂଳୁଙ୍କୁ ପ୍ରଦାନ କରିଥିଲେ I ଯଦି ଆଗାମୀ ଦିନରେ ଉକ୍ତ ଦାବି ଗୁଡିକ ଅଣଦେଖା କଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି I ଆଜିର ଏହି ଧାରଣା ପ୍ରଦର୍ଶନରେ ସୁବର୍ଣ୍ଣପୁର ଜିଲ୍ଲା ଲିଗାଲ ସେଲ ପ୍ରଭାରୀ ସୁଧୀର କୁମାର ପଣ୍ଡା, ମିଡ଼ିଆ ସେଲ ରାଜ୍ୟ ଉପସଭାପତି ପ୍ରିୟବ୍ରତ ସାହୁ , ପୂର୍ବତନ ପିସିସି ସଭ୍ୟ ଶିବ କୁମାର ଅଗ୍ରୱାଲ, ତରଭା ବ୍ଲକ ସଭାପତି କାର୍ତ୍ତିକ ନାଗ, ପ୍ରବୀଣ କୁମାର ସାହୁ, ଦଧି ଦାସ, ଗଣେଶ ଗୁରୁ ପ୍ରମୁଖ ଦଳୀୟ ନେତା ଓ କର୍ମୀ ସାମିଲ ରହିଥିଲେ I