ସୁବର୍ଣ୍ଣପୁର : ନିକଟରେ ହେବାକୁଥିବା ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ତାଲିକା ପ୍ରସ୍ତୁତିକୁ ବିରୋଧ କରିଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ । ଗତ କିଛି ଦିନ ତଳେ ପଞ୍ଚାୟତ ଓ ଜିଲ୍ଲାପରିଷଦ ଆସନ ପାଇଁ ସଂରକ୍ଷଣ ତାଲିକା ପ୍ରସ୍ତୁତ ହୋଇଥିଲା । ଏହି ତାଲିକା ମନମୁଖୀ ପ୍ରସ୍ତୁତି କରିଥିବା ସହ ଶାସକ ବିଜେଡି ଦଳକୁ ସୁହାଇଲା ଭଳି ତାଲିକା ପ୍ରସ୍ତୁତି କରାଯାଇଛି ବୋଲି ଅଭିଯୋଗ କରିଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ । ଆଜି ସ୍ଥାନୀୟ କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ସୂଚନା ଦିଆଯାଇଛି I ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପରିଷଦ ଆସନ ଟି ଏସଟି ମହିଳା ଭାବେ ସଂରକ୍ଷଣ କରାଯାଇଥିବା ବେଳେ ସଂରକ୍ଷଣ ନିତି କୁ ଖୋଲାଖୋଲି ଭାବରେ ଉଲଙ୍ଘନ କରାଯାଇଛି । ଏପରିକି ବିଭିନ୍ନ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ମେମ୍ବର ସଂରକ୍ଷଣ ଆସନ ବିଜେଡି ଦଳକୁ ସୁହାଇଲା ଭଳି କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏ ସମ୍ମନ୍ଧରେ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରାଯାଇଥିବା ବେଳେ ତୁରନ୍ତ ସରକାର ହସ୍ତକ୍ଷେପ କରି ଆଇନ ଅନୁସାରେ ସଂରକ୍ଷଣ କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।