ତରଭା, ୨୭/୧୧ : ସୁବର୍ଣ୍ଣପୁର ଜିଲ୍ଲା ତରଭା ଓ ଉଲୁଣ୍ଡା ଥାନା ଅଞ୍ଚଳରୁ ଚୋରି ହୋଇଥିବା ୨ଟି ବୋଲେରୋ ପିକଅପକୁ ତରଭା ପୋଲିସ ଉଦ୍ଧାର କରିବା ସହ ଚୋରି ଘଟଣାରେ ସଂପୃକ୍ତ ତିନି ଜଣ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ରବିବାର ସୁବର୍ଣ୍ଣପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ତରଭା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ତରଭା ଥାନା ଅନ୍ତର୍ଗତ ବଲାଡି ଗ୍ରାମର ଜୟନାରାୟଣ ସାହୁ ତାଙ୍କର ବୋଲେରୋ ପିକଅପ ନମ୍ବର ଓଡ଼ି ୦୩ ଇ ୧୬୮୭ ସେପ୍ଟେମ୍ବର ୧୯ ତାରିଖ ରାତ୍ରିରେ ଚୋରି ହୋଇଯାଇଥିବା ସମ୍ବନ୍ଧେ ତରଭା ଥାନାରେ ରିପୋର୍ଟ କରିଥିଲେ।ସେହିଭଳି ନଭେମ୍ବର ୧୫ତାରିଖ ରାତ୍ରିରେ ଉଲୁଣ୍ଡା ଥାନା ଲଷ୍ମୀନଗରରୁ ଗୋଟିଏ ବୋଲେରୋ ପିକଅପ ନମ୍ବର ଓଆର ୧୫ ଏମ ୦୧୬୧ ଚୋରି ହୋଇଥିବା ସମ୍ବନ୍ଧେ ରାମକୃଷ୍ଣ ପୁରୋହିତ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ।ତରଭା ପୋଲିସ କେଶ ନମ୍ବର ୨୧୫/୨୨ରେ ଏକ ମାମଲା ରୁଜ୍ଜୁକରି ତଦନ୍ତ ଚଳାଇଥିଲା।ସୋନପୁର ଏସପି ଅମରେଶ ପଣ୍ଡାଙ୍କ ନିର୍ଦେଶରେ ତରଭା ଥାନାର ଆଇଆଇସି ସୁବ୍ରତ ପାଣିଗ୍ରାହୀ, ଏସଆଇ ଯଯାତି କେଶରୀ ସାହୁ, ଏଏସଆଇ ନିମାଇଁ ଚରଣ ବାରିକ,କନଷ୍ଟେବଳ ସି ଯୁବରାଜ ଦୋରା, ବିମଳ ପ୍ରଧାନ, ହୋମଗାର୍ଡ ଲିଙ୍ଗରାଜ ପଧାନ, ବିଜୟ ସାହୁଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ୨୬ ତାରିଖ ରାତି ପୋଲିସ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରି ହୋଇଥିବା ଦୁଇଟି ବୋଲେରୋ ପିକଅପ ସହ ଗୋଟିଏ Renult ଡଷ୍ଟର ଗାଡି ଯାହାର ନମ୍ବର ଓଡି ୦୩ ବି ୭୫୭୬କୁ ଉଦ୍ଧାର କରି ଥାନାକୁ ଆଣିଛି।ଏହି ଚୋରି ଘଟଣାରେ ସଂପୃକ୍ତ ବୌଦ୍ଧ ଜିଲ୍ଲା ବିରାମଚନ୍ଦ୍ରପୁର ବାସିନ୍ଦା ଟୁନା ଓରଫ ପ୍ରତାପ ସେଠୀ(୩୫), ବଲାଙ୍ଗୀର ଜିଲ୍ଲା ଦେଓଗାଁ ନିକଟସ୍ଥ କୁନ୍ଦେଇମାଲ ନିବାସୀ ନେପାଳ ଓରଫ ମିତ୍ର ପୋଢ଼ (୩୪) ଓ ବେଡା ଓରଫ ସରୋଜ ପୋଢ଼(୩୨)କୁ ଗିରଫ କରିଛି। ଚୋର ମାନେ ବୋଲେରୋ ପିକଅପ ଦୁଇଟିର ନମ୍ବର ପ୍ଲେଟ ବଦଳାଇ ଦେଇଥିବା ପୋଲିସ କହିଛି। ବଲାଡିରୁ ଚୋରି ହୋଇଥିବା ଗାଡିର ନମ୍ବରକୁ ବଦଳାଇ ଓଡ଼ି ୨୨ ଏଫ ୩୭୮୭ ନମ୍ବର ପ୍ଲେଟ ଲଗାଯାଇଥିବା ବେଳେ ଉଲୁଣ୍ଡାରୁ ଚୋରି ହୋଇଥିବା ଗାଡ଼ିରେ ଓଡି ୧୫ ଆର ୮୩୭୮ ଲଗାଯାଇଛି। ଗିରଫ ତିନି ଅଭିଯୁକ୍ତମାନେ ଅନେକ ଚୋରି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।